ଭୁବନେଶ୍ୱର :-(ଓଡ଼ିଆ news) ତିନି ମାଙ୍କଡ କଥା ଉଠିଲେ ସମସ୍ତେ ଗାନ୍ଧିଜୀଙ୍କ ତିନି ମାଙ୍କଡ କଥା ମନେପକାଇବେ ଏବଂ ଉଲ୍ଲେଖ କରିବେ । ଗୋଟିଏ ମାଙ୍କଡ ଆଖି ବନ୍ଦ କରିଛି, ଦ୍ବିତୀୟ ମାଙ୍କଡ ପାଟି ଏବଂ ତୃତୀୟ ମାଙ୍କଡ କାନରେ ଦେଇଛି ହାତ । ଗାନ୍ଧୀଙ୍କ ଦର୍ଶନ ଥିଲା ଖରାପ ଦେଖିବୁନି, କହିବୁନି ଓ ଶୁଣିବୁନି। କିନ୍ତୁ ଏହି ତିନି ମାଙ୍କଡ ଉପାଖ୍ୟାନକୁ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତାଙ୍କ ଢଙ୍ଗରେ ଉପସ୍ଥାପନ କରିଛନ୍ତି।
ଉପାସନା କହନ୍ତି ଯେ, ସବୁ ଛାଡିଯିବେ ବିଜୁ ଜନତା ଦଳ। କେବଳ ରହିବେ ତିନି ମାଙ୍କଡ । ଏହାକୁ ବୁଝାଇବାକୁ ଯାଇ ବିଧାୟିକା କହନ୍ତି ଯେ, ଗୋଟିଏ ମାଙ୍କଡ ଦଳର ମୁଖ୍ୟ। ଆଉ ଜଣେ ତାମିଲନାଡୁରୁ ଆସିଛନ୍ତି। ଅନ୍ୟ ଜଣେ ଉପକୂଳ ଓଡ଼ିଶାର। କିନ୍ତୁ ଉପାସନା କାହା ନାମ ନେଇନାହାଁନ୍ତି ସିନା, ସମସ୍ତେ ବୁଝି ଯାଉଥିବେ ଯେ କେଉଁ ତିନିଜଣଙ୍କୁ ସେ ଟାର୍ଗେଟ କରିଛନ୍ତି । ଜଣେ ହେଲେ ମୁଖୁଆ ନବୀନ ପଟନାୟକ । ଦ୍ବିତୀୟ ହେଲେ ପାଣ୍ଡିଆନ ଏବଂ ତୃତୀୟ ଜଣଙ୍କ ସଂଜୟ ଦାସବର୍ମା । ସେ ଏହା ମଧ୍ଯ କହିଛନ୍ତି ଯେଉଁ ଭଳି ଭାବେ ନିଲମ୍ବନ ଏବଂ ବହିଷ୍କାର ଚାଲିଛି, ସେଥିରେ କେବଳ ଏହି ତିନିଜଣ ରହିବେ।
ସଂଜୟ ଗତ ନିର୍ବାଚନରେ ପରାଜୟ ଭୟରୁ ବ୍ରହ୍ମଗିରି ଛାଡି ସତ୍ୟବାଦୀ ପଳାଇଲେ । ସତ୍ୟବାଦୀରୁ ଜିଣିଥିବା ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଠେଲି ଦିଆଗଲା ବ୍ରହ୍ମଗିରି। ଉଭୟେ କିନ୍ତୁ ନିର୍ବାଚନ ହାରିଲେ। ସଂଜୟ ବ୍ରହ୍ମଗିରିକୁ ଡରିବାର ବଡ଼ କାରଣ ଥିଲେ କୈଳାଶ ପରିଡା । ଏକଦା କୈଳାଶ ସଂଜୟଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। କିନ୍ତୁ ବିଜଦ ନେତୃତ୍ବ ସହ ସଂଜୟଙ୍କ ସମ୍ପର୍କ ତିକ୍ତ ହୋଇପଡ଼ିବା କାରଣରୁ କୈଳାଶଙ୍କ ମୁଣ୍ଡରେ ବିଧାୟକ ହେବାର ଭୂତ ପୁରେଇ ଦିଆଗଲା। ସେ ସଂଜୟଙ୍କୁ ବିରୋଧ କରିବାକୁ ଲାଗିଲେ। ଏହାଫଳରେ ସଂଜୟ ଦଳୀୟ ନେତୃତ୍ବ ବିରୋଧରେ ଯୁଦ୍ଧ ଦେହି ଡାକରା ବି ଦେଇଥିଲେ। ଯାହାହେଉ ଶେଷରେ ଆସନ ଅଦଳବଦଳ ହେଲା। ଏବେ କୈଳାଶ ଏବଂ ଦୁଇଜଣ ପଂଚାୟତ ସମିତି ଅଧ୍ଯକ୍ଷ ବିଜେଡି ଛାଡି ଭାଜପାରେ ଯୋଗଦେବା ଯୋଗୁ ସଂଜୟଙ୍କ ସ୍ଥିତି ଯେ ଅଧିକ ଦୁର୍ବଳ ହେବ ଏଥିରେ ସନ୍ଦେହ ନାହିଁ।
Editing By Rakesh

