![]() |
କୋଦଳା ରୋଡ |
କୋଦଳା, (ଓଡ଼ିଆ news):- ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବର୍ତମାନ ପ୍ରଶ୍ନ ଉଠିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର କୋଦଳା ଅଞ୍ଚଳରେ ନିମ୍ନମାନର କାମ କରି ମାଲେମାଲ୍ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀ ଓ ବଡ ବଡିଆ କର୍ମଚାରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଲିମେଘି ପଂଚାୟତର କାଳୀମେଘି ଠାରୁ ଲୁହାକୋଟ ପର୍ଯ୍ୟନ୍ତ ରାସ୍ତା ତିଆରିରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି ।ରାସ୍ତା ରେ ପିଚୁ ପଡ଼ିବାର ମାତ୍ର କେଇଟା ଦିନ ପରେ ପିଚୁ ଉଠିଯାଇ ରାସ୍ତା ସାରା ବିଛେଇ ହୋଇ ପଡିରହିଛି । ଯାହା ଫଳରେ ଛୋଟ ଛୋଟ ଦୁର୍ଘଟଣା ହେଉଥିବା ନଜରକୁ ଆସିଛି । ଏହିଭଳି ନିମ୍ନମାନର କାର୍ଯ୍ୟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠି ପଡ଼ିଥିବା ବେଳେ ରାସ୍ତା ଉପରେ ଇଲେକ୍ଟ୍ରି ଖମ୍ବ ଥାଇ ବି ରାସ୍ତା କାମ ହେଉଛି । ନବ ନିର୍ମିତ ବ୍ରିଜର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ବ୍ରିଜ ର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ତଥା ଯନ୍ତ୍ରୀ ସବୁ ଜାଣି ନଜାଣିଲା ଭଳି ରହୁଛନ୍ତି କି ? ନା ଠିକାଦାର ଙ୍କ ସହିତ ଅଛି କିଛି ମଧୁ ଚନ୍ଦ୍ରିକା ? ତେଣୁ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏହି ରାସ୍ତା ନିର୍ମାଣର ମାନ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି । ତେବେ ଏ ନେଇ କୌଣସି ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।
